ଜିଲ୍ଲା ସମ୍ବନ୍ଧରେ
ପ୍ରାଚୀନ ଐତିହ୍ୟ, ସୁଦୃଢ ପରମ୍ପରା ଓ ମହନୀୟ ସଂସ୍କୃତି ପାଇଁ ଜଗତସିଂହପୁର ଜିଲ୍ଲା ସୁପ୍ରସିଦ୍ଧ। ବହୁ ଯଶ ଓ ଗୌରବର ଗାଥା ବହନ କରୁଥିବା ଜଗତସିଂହପୁର ଜିଲ୍ଲା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ନଂ ୧୪୨୧୮/ ଆର, ତା ୨୭.୦୩.୧୯୯୩ ରିଖ ଓ ଇ.ଓ.ଜି. ନଂ ୪୫୯, ତା, ୦୧.୦୪.୧୯୯୩ ରିଖ ଅନୁଯାୟୀ ୧୯୯୩ ମସିହା ଅପ୍ରେଲ ପହିଲାରେ ଗଠିତ ହୋଇଥିଲା। ନୂଆ ଜିଲ୍ଲାର ମାନ୍ୟତା ପାଇବା ପୂର୍ବରୁ ଜଗତସିଂହପୁର ଅଞ୍ଚଳ କଟକ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ବୃହତ୍ତ କଟକ ଜିଲ୍ଲାରେ ପ୍ରଶାସନିକ ପରିଚାଳନାର ସୁବିଧା ଲାଗି ଏହାକୁ ଚାରି ଭାଗରେ ବିଭକ୍ତ କରାଯାଇଥିଲା । ଫଳସ୍ଵରୂପ ଜଗତସିଂହପୁର ଜିଲ୍ଲା ଜନ୍ମ ହୋଇଥିଲା। ଜଗତସିଂହପୁର ଜିଲ୍ଲାର ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ କଟକ ଜିଲ୍ଲା, ଉତ୍ତରରେ କେନ୍ଦ୍ରାପଡା ଜିଲ୍ଲା ଓ ଦକ୍ଷିଣରେ ପୁରୀ ଜିଲ୍ଲା ବିଦ୍ୟମାନ ।
ଭୂଭାଗ ଦୃଷ୍ଟିରୁ ଜିଲ୍ଲା ଓଡିଶାର କ୍ଷୁତ୍ରତମ ଜିଲ୍ଲା ଏହାର ଭୌଗଳିକ ପରିସୀମା ୧୭୫୯ ବର୍ଗ କି ମି । ୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାର ଲୋକ ସଂଖ୍ୟା ୧୧,୩୬,୯୭୧ । ଏଥିରୁ ପୁରୁଷଙ୍କ ସଂଖ୍ୟା ୫,୭୭,୮୬୫ ଓ ମହିଳାଙ୍କ ସଂଖ୍ୟା ୫,୫୯,୧୦୬ । ଅନୁସୂଚିତ ଜାତିର ଲୋକସଂଖ୍ୟା ୨,୪୮,୧୫୨ ଥିବାବେଳେ ଅନୁସୂଚିତ ଜନଜାତିର ଲୋକସଂଖ୍ୟା ୭,୮୬୨ । ଜିଲ୍ଲାର ସାକ୍ଷରତା ହାର 79,08 ପ୍ରତିଶତ । ଏଥିରୁ ପୁରୁଷଙ୍କ ସାକ୍ଷରତା ହାର 88,55 ପ୍ରତିଶତ ଥିବାବେଳେ ମହିଳାଙ୍କ ସାକ୍ଷରତା ହାର 69.28 ପ୍ରତିଶତ । ଜଗତସିଂହପୁର ଜିଲ୍ଲାର ଏକମାତ୍ର ଉପଖଣ୍ଡ ହେଉଛି ଜଗତସିଂହପୁର । ଏହାଛଡା ଜିଲ୍ଲାର 8 ଟି ବ୍ଲକ 8 ଟି ତହସିଲ ,1320 ଟି ରାଜସ୍ବ ଗ୍ରାମ, 194 ରି ଗ୍ରାମ ପଞ୍ଚାୟତ ଓ 15 ଟି ଥାନା କାର୍ଯ୍ୟକ୍ଷମ ରହିଛି । ଜଗତସିଂହପୁରର ଜିଲ୍ଲାର ଜଳବାୟୁ ହେଉଛି ଶୀତୋଷ୍ଣ । ଶୀତଦିନେ ଥଣ୍ଡା ପଡେ ଏବଂ ଖରାଦିନେ ଗରମ ଓ ଆର୍ଦ୍ର ରହେ । ବର୍ଷାଦିନେ ସାମୁଦ୍ରିକ ମହାବାତ୍ୟା ଜିଲ୍ଲାକୁ ଅନେକ ସମୟରେ ପ୍ରଭାବିତ କରିଥାଏ । ଜିଲ୍ଲାର ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ସେଲସିୟସ ରହୁଥିବାବେଳେ ସର୍ବନିମ୍ନ ତାପମାତ୍ରା 12 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସେ । ଜିଲ୍ଲାର ହାରାହାରି ବୃଷ୍ଟିପାତ ହେଉଛି 1765.1 ମିଲିଲିଟର ।
ଜଗତସିଂହପୁର ଜିଲ୍ଲାର ପ୍ରମୁଖ ରମଣୀୟ ପର୍ଯ୍ୟଟନ ସ୍ଥାନ ହେଉଛି ପାରାଦ୍ବୀପ ବନ୍ଦର , ପାରାଦ୍ବୀପ , ପାରାଦ୍ବୀପ ଗଡ , ଝଙ୍କଡ ଶାରଳା ପୀଠ, ଓ ଗଡ କୁଜଙ୍ଗ ଜଗନ୍ନାଥ ମନ୍ଦିର, ଗୋରେଖନାଥ ପୀଠ,ଗାରୋଇସ୍ଥିତ ଜଗନ୍ନାଥ ମନ୍ଦିର ମଧ୍ୟ ଭାରତ ତଥା ବିଶ୍ବର ପର୍ଯ୍ୟଟକଙ୍କୁ ଆକର୍ଷିତ କରାଇବାରେ ସକ୍ଷମ ହୋଇଛି ।
2011 ଜନଗଣନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ପୁରୁଷ ସାକ୍ଷରତା ହାର କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଦଖଲ କରୁଥିବାର ବେଳେ ମହିଳା ସାକ୍ଷରତା ଖୋର୍ଦ୍ଧା ଜିଲ୍ଲା ପରେ ଦ୍ବିତୀୟ ସ୍ଥାନରେ ରହିଲା । ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର, ଆଦିକନ୍ଦ ସାରଳା ଦାସ ମହାବିଦ୍ୟାଳୟ ,ତିର୍ତ୍ତୋଲ, ସିଦ୍ଧ ବାରଙ୍ଗ ଶିକ୍ଷା ଓ ବୈଷୟିକ କନିଷ୍ଠ (ଜୁନିୟର) ମହାବିଦ୍ୟାଳୟ, ପୁନଙ୍ଗ, କାଦୁଅପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଦୁଅପଡା, ବିଜୁ ପଟ୍ଟନାୟକ (ଜୁନିୟର) ମହାବିଦ୍ୟାଳୟ, ଆଶ୍ରମପାଟଣା, ସ୍ବାମୀ ବିବେକାନନ୍ଦ ସ୍ମାରକ (ଜୁନିୟର) ମହାବିଦ୍ୟାଳୟ, ଜଗତସିଂହପୁର, ସ୍ବାଗତିକା କଲେଜ ଅଫ ସାଇନ୍ମ ଆଣ୍ଡ ଏଜୁକେଶନ, ଜଗତସିଂହପୁର, ଆଦି ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପ୍ରସିଦ୍ଧ ଅର୍ଜନ କରିଛନ୍ତି ।
ଜଗତସିଂହପୁର ଜିଲ୍ଲା ମୁଖତଃ କୃଷି କୈନ୍ଦ୍ରିକ ଅଞ୍ଚଳ । ବନ୍ୟା ଓ ମହାବାତ୍ୟା ଭଳି ପ୍ରାକୃତିକ ବିପତ୍ତି ଜିଲ୍ଲାର ଅର୍ଥନୀତି ବିକାଶରେ ମୁଖ୍ୟ ପ୍ରତିବନ୍ଧକ । କୃଷି ଛଡା ବାଣିଜ୍ୟ ଓ ବ୍ୟବସାୟ, ପରିବହନ, ସଂରକ୍ଷଣ, ଉତ୍ପାଦନ, ପ୍ରକିୟାକରଣ ଓ ମରାମତି ସେବା କ୍ଷେତ୍ରରେ ଜିଲ୍ଲାର ବହୁ ଲୋକ ସଂଶ୍ଳିଷ୍ଠ ରହିଛନ୍ତି । ମାଛଧରା ମଧ୍ୟ ଜିଲ୍ଲାର ଅନ୍ୟତମ ଜୀବିକା ଭାବେ ସ୍ବୀକୃତ ।
ଜଗତସିଂହପୁର ଜିଲ୍ଲାର ମୁଖ୍ୟ ଫସଲ ହେଉଛି ଧାନ । ଏହାଛଡା ଏଠାକାର ଚାଷୀ ଲାଭଜନକ ଚାଷ ଭାବେ ଆଖୁ, ହଳଦୀ ଓ କପା ଚାଷ କରିଥାନ୍ତି । ଓଡିଶାର ଜୀବନ ରେଖା ମହାନଦୀ ଯୋଗୁ ଜଗତସିଂହପୁରର ଜମି ବେଶ ଉର୍ବର ।
ଜଗତସିଂହପୁରର ମାଟି ଅନେକ ବରପୁତ୍ରଙ୍କୁ ଜନ୍ମ ଦେଇଛି । ଆଦ୍ୟ ସ୍ମରଣୀୟ, ମାଟିର ମହାକବି ପୁରାଣକାର ସାରଳା ଦାସ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଖ୍ୟାତିନାମା ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ, ସୁନାମଧନ୍ୟ ସମାଜ ସଂସ୍କାରକ ରମାଦେବୀ ଚୌଧୁରୀ ଓ ମାଳତୀ ଦେବୀ ଚୌଧୁରୀ, ପ୍ରଖ୍ୟାତ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା, ଲୋକପ୍ରିୟ ଔପନ୍ୟାସିକ ପ୍ରତିଭାରାୟ, ପ୍ରସିଦ୍ଧ ଗାଳ୍ପନିକ ବିଭୂତି ପଟ୍ଟନାୟକ, ଦାର୍ଶନିକ ତଥା ଲେଖକ ଡକ୍ଟର ହୃଦାନନ୍ଦ ରାୟ ପ୍ରମୁଖ ଯୋଗଜନ୍ମାଙ୍କୁ କୋଳରେ ଧରି ଜଗତସିଂହପୁର ଜିଲ୍ଲା ଗୌରବାନ୍ବିତ ହୋଇଛି ।